Unknown

 

 

 

 

 

 

 

 

ମୂର୍ଖଶତକ

ଶ୍ରୀ ରାଧାଚରଣ ମହାପାତ୍ର

 

ମୁଖବନ୍ଧ

 

ସଂସ୍କୃତ ସାହିତ୍ୟରେ ସକଳ ବିଷୟରେ ଗୋଟିଏ ଲେଖାଁଏ ଶାସ୍ତ୍ରଅଛି । ସେହିପରି ମୂର୍ଖମାନଙ୍କ ସମ୍ୱନ୍ଧରେ ମଧ୍ୟ ଗୋଟିଏ ଶାସ୍ତ୍ର ପ୍ରଚଳିତ ଅଛି । ତାହାକୁ ‘‘ମୂର୍ଖଶତକ’’ ବୋଲାଯାଏ । ଏ ଗ୍ରନ୍ଥର ଲେଖକ କିଏ ତାହା ଏ ପର୍ଯ୍ୟନ୍ତ ଜଣାଯାଇ ନାହିଁ; କିନ୍ତୁ ବହୁକାଳରୁ, ସମ୍ଭବତଃ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ପୁସ୍ତକଖଣ୍ଡିର ପ୍ରଚଳନ ଦେଖାଯାଏ ।

 

ଗ୍ରନ୍ଥଟି ପଞ୍ଚବିଂଶ ଶ୍ଳୋକ ବିଶିଷ୍ଟ ଅତି କ୍ଷୁଦ୍ର ପୁସ୍ତକ ହେଲେହେଁ ଅତ୍ୟନ୍ତ ପ୍ରୟୋଜନୀୟ । ଗୋଟିଏ ଗୋଟିଏ ଶ୍ଳୋକରେ ଚାରିପ୍ରକାର ମୂର୍ଖର ଲକ୍ଷଣ ପ୍ରଦତ୍ତ ହୋଇଅଛି । ତାହାଛଡ଼ା ଆରମ୍ଭରେ ଗୋଟିଏ ଓ ଶେଷରେ ଗୋଟିଏ ଶ୍ଳୋକ ଉପକ୍ରମଣିକା ଓ ଉପସଂହାରସ୍ୱରୂପ ଦିଆଯାଇଅଛି । ପୁସ୍ତକଟିରୁ ବୁଝାଯାଏ, ସେ କାଳରେ ମଧ୍ୟ ଅନେକ ପ୍ରକାର ମୂର୍ଖ ଥିଲେ ଓ ମୂର୍ଖମାନଙ୍କୁ ସ୍ଥୂଳତଃ ଏକଶତ ଭାଗରେ ବିଭକ୍ତ କରାଯାଉଥିଲା । ମୂର୍ଖବ୍ୟକ୍ତି ଯେପରି ମୂର୍ଖତ୍ୱ ପରିହାରକରି ବ୍ୟବହାର-ଚତୁର ହୋଇପାରନ୍ତି ଓ ଫଳତଃ ଅଭିଜ୍ଞ ଭାବରେ ସଂସାରଯାତ୍ରା ନିର୍ବାହ କରିପାରନ୍ତି, ସେହି ଉଦ୍ଦେଶ୍ୟରେ ଏହି ଉପାଦେୟ ଗ୍ରନ୍ଥଖଣ୍ଡି ବିରଚିତ ହୋଇଥିଲା ।

 

‘ମୂର୍ଖଶତକ’ର ପ୍ରତ୍ୟେକ ଛତ୍ରରେ ଏପରି ମୂଲ୍ୟବାନ୍‌ ଓ ସାରଗର୍ଭ ଉପଦେଶ ନିହିତ ଅଛି ଯେ ତାହା ସାରାଜୀବନ ମନୁଷ୍ୟର କାର୍ଯ୍ୟୋପଯୋଗୀ ହୋଇପାରେ । ଏଣୁ ବଙ୍ଗଳାର ଏକ ବିଶିଷ୍ଟ ‘ସାପ୍ତାହିକ ପତ୍ରିକାରୁ’ ଉକ୍ତ ଶ୍ଳୋକଗୁଡ଼ିକ ସଂଗ୍ରହପୂର୍ବକ କୌତୁହଳବଶତଃ ସେଗୁଡ଼ିକୁ ଉତ୍କଳ-ଭାଷାରେ ଅନୁବାଦ କରିଥିଲି । ଦୈବାତ୍‌ ତାହା କେତେକ ବନ୍ଧୁଙ୍କ ହସ୍ତଗତ ହେବାରୁ ସେମାନେ ପୁସ୍ତିକାଟିକି ଶୀଘ୍ର ମୁଦ୍ରିତ କରାଇ ସାଧାରଣଙ୍କ ସମକ୍ଷରେ ଉପସ୍ଥାପିତ କରିବାପାଇଁ ଅନୁକୂଳ ମତ ବ୍ୟକ୍ତ କଲେ । ଏଣୁ ମୁଁ ଉକ୍ତ କାର୍ଯ୍ୟରେ ବ୍ରତୀ ହେଲି ।

 

ଅତଏବ ପରିଶେଷରେ ବକ୍ତବ୍ୟ ଯଦି ଏହି ପୁସ୍ତିକାପାଠରେ ସାଧାରଣଙ୍କର କିଞ୍ଚିତ୍‌ ଉପକାର ସାଧିତ ହୁଏ ତେବେ ମୁଁ ମୋର ପରିଶ୍ରମ ସାର୍ଥକ ହେଲା ବୋଲି ମନେ କରିବି । ଇତି ।

 

।ମୁଁ। ବାରିମୂଳ

ଅନୁବାଦକ

ତା ୨୮।୫।୩୧

 

 

(୧)

 

ସାମର୍ଥ୍ୟେ ବିଗତୋଦ୍ୟୋଗଃ

 

 

 

କ୍ଷମତାଥିଲେ କି ହେବ ପ୍ରଚୁର

କରମେ ଉତ୍ସାହ ନାହିଁ ଯାହାର

ଧନ ଅରଜିବା ଶକତି ଥାଇ

ଦୁଃଖ-ଆଳସ୍ୟେ ଯେ ଦିନ ବଞ୍ଚଇ

ପାଠ ପଢ଼ିବାପାଇଁ ବୁଦ୍ଧିବୃତ୍ତି

ଥିଲେହେଁ ତହିଁ ନ ବଳଇ ମତି

ବୃଥାରେ ଜୀବନ କରେ ଯେ କ୍ଷୟ

ସଂସାରେ ଦୁଃଖ ଭୁଞ୍ଜେ ସେ ନିଶ୍ଚୟ

ସୁଧୀଏ ତାହାକୁ ମୂର୍ଖ ବୋଲନ୍ତି

ଜୀବନେ ତାର ନୁହଇ ଉନ୍ନତି

 

 

(୨)

 

ସ୍ୱଶ୍ଳାଘୀ ପ୍ରାଜ୍ଞପର୍ଯ୍ୟାଦି

 

 

 

ପଣ୍ଡିତ-ସଭାରେ ବସି ଯେ ଜନ

କରଇ ନିଜ ପ୍ରଶଂସା ବର୍ଣ୍ଣନ

ଯେଡ଼େ ଶାସ୍ତ୍ରଜ୍ଞ ହୋଇଥାଉ ସେହି

ନିପଟ ମୂର୍ଖ ବୋଲି ତାକୁ କହି

 

 

(୩)

 

ବେଶ୍ୟାବଚସି ବିଶ୍ୱାସୀ

 

 

 

ବେଶ୍ୟା ବଚନେ ଯେ ବିଶ୍ୱାସ କରେ

ଭୋଳ ହୋଇଥାଏ ତାର ପ୍ରେମରେ

ସଂସାରେ ନ କରଇ ଦୃଷ୍ଟିପାତ

ମୂର୍ଖ ବୋଲନ୍ତି ତାକୁ ସୁଧୀବ୍ରାତ

 

 

(୪)

 

ପ୍ରତ୍ୟୟୀ ଦମ୍ଭଡ଼ମ୍ୱରେ

 

 

 

ଦମ୍ଭ ଆଡ଼ମ୍ୱର ଦେଖି ଯେ ଜନ

ମୂଳ ପଦାର୍ଥେ କରେ ବିସ୍ମରଣ

ଜ୍ଞାନୀଙ୍କ ମତରେ ମୂର୍ଖ ସେ ନର

ହେଜ ହୃଦୟେ ଏହା ବାରମ୍ୱାର

 

 

(୫)

 

ଦ୍ୟୂତାଦିଚିତ୍ତବଦ୍ଧାଶଃ

 

 

 

ଜୁଆରେ ପାଇବ ନିଶ୍ଚୟ ଧନ

ଆଶା କରି ବସିଥାଏ ଯେ ଜନ

ମୂର୍ଖ ବୋଲନ୍ତି ତାହାକୁ ସଂସାରେ

କେବେ ସେ ଉନ୍ନତି କରି ନ ପାରେ

 

 

(୬)

 

କୃଷ୍ୟାଦାୟେଷୁ ସଂଶୟୀ

 

 

 

କୃଷିକାର୍ଯ୍ୟେ ଲାଭ ହେବ କି ନାହିଁ

ସଂଶୟେ ତହୁଁ ଯେ କ୍ଷାନ୍ତି ଲଭଇ

ସୁଧୀଏ ବୋଲନ୍ତି ତାହାକୁ ମୂର୍ଖ

ଏ ବାଣୀ ଯତନେ ମନରେ ରଖ

 

 

 

 

 

 

 

 

 

 

(୭)

 

ନିର୍ବୁଦ୍ଧିଃ ପୌଢ଼କାର୍ଯ୍ୟାର୍ଥୀ

 

 

 

ବୁଦ୍ଧିହୀନ ବୋଲି ନିଜକୁ ଜାଣି

ବଡ଼ କରମେ ଯେ ଦିଅଇ ପାଣି

ସେ ଜନ ମୂର୍ଖରେ ହୁଏ ଗଣିତ

ଗୁଣିଗଣଙ୍କର ଏସନ ମତ

 

 

(୮)

 

ବିବକ୍ତରସିକୋ ବଣିକ୍‌

 

 

 

ବ୍ୟବସାୟୀ ହୋଇ ନୁହେଁ ରସିକ

ଏମନ୍ତ ଜନକୁ ବୋଲନ୍ତି ମୂର୍ଖ

 

 

(୯)

 

ଋଣେନ ସ୍ଥାବରକ୍ରେତା

 

 

 

କରଜ କରି ଯେ ସ୍ଥାବରବିତ୍ତ

କୀଣଇ ସେ ଜନ ମୂର୍ଖ ନିଶ୍ଚିତ

ମୂଳ କଳନ୍ତର ହୋଇ ବର୍ଦ୍ଧିତ

ଅବଶେଷେ ଯାଏ ସମସ୍ତ ବିତ୍ତ

 

 

(୧୦)

 

ସ୍ଥବିରଃ କନ୍ୟକାବରଃ

 

 

 

ଯେ ବୃଦ୍ଧ ବିବାହ କରି ତରୁଣୀ

ରଖଇ ଆପଣା ସଦନେ ଆଣି

ମୂର୍ଖସମାଜେ ସେ ଅଟେ ଅଗ୍ରଣୀ

ପ୍ରବୀଣମାନଙ୍କ ଏମନ୍ତ ବାଣୀ

 

 

(୧୧)

 

ବ୍ୟାଖ୍ୟାତା ଚାଶ୍ରୁତୋଗ୍ରନ୍ଥେ

 

 

 

ଅଜଣା ଗ୍ରନ୍ଥ ବୁଝାଇବାପାଇଁ

ଯେଉଁ ଜନ ହାଦେ ଚେଷ୍ଟା କରଇ

ମୂର୍ଖ ବୋଲି ତାକୁ ବୋଲନ୍ତି ନରେ

ଯେଣୁ ଅସାଧ୍ୟ କର୍ମ ସେ ଆଚରେ

 

 

(୧୨)

 

ପ୍ରତ୍ୟକ୍ଷାର୍ଥେ ଅପହ୍ନବୀ

 

 

 

ପ୍ରତ୍ୟକ୍ଷ ଘଟଣା ଦେଖି ଯେ ଜନ

ପ୍ରତ୍ୟୟ ନ କରଇ କଦାଚନ

ମୂର୍ଖଜନ ତାକୁ ବୋଲି ସଂସାରେ

ପ୍ରବୀଣ ସୁଧୀସମାଜ ମତରେ

 

 

(୧୩)

 

ଚପଳାପତିରୀର୍ଷ୍ୟାଳୁଃ

 

 

 

କୁଳଟା ବିବାହ କରି ଯେ ନର

ନାରୀଠାରେ କରେ ହିଂସାବେଭାର

ମହାମୂର୍ଖ ଜନ ବୋଲି ତାହାକୁ

ମନେ ରଖ ସର୍ବେ ଏହି କଥାକୁ

 

 

 

 

 

 

 

 

 

 

(୧୪)

 

ଶକ୍ତଶତ୍ରୁରଶଙ୍କିତଃ

 

 

 

ପ୍ରବଳ ଶତ୍ରୁଥିବା କଥା ଜାଣି

ନିର୍ଭୟେ କାଳ କାଟଇ ଯେ ପୁଣି

ତାହାକୁ ମୂର୍ଖ ବୋଲନ୍ତି ଜଗତେ

ନ ପାଶୋରିବ ଏହା କଦାଚିତେ

 

 

(୧୫)

 

ଦତ୍ତ୍ୱାଧନାନ୍ୟନୁଶୟୀ

 

 

 

ଧନ ଦାନ କରି ସାରି ଯେ ଜନ

ପରେ କରଇ ତା’ ଅନୁଶୋଚନ

ମୂର୍ଖ ମଧ୍ୟରେ ସେ ହୁଅଇ ଗଣା

ସାଧୁଜନଙ୍କର ଏହି ଧାରଣା

 

 

 

 

 

 

 

 

 

 

(୧୬)

 

କବିନା ହଠପାଠକଃ

 

 

 

ଅପଣ୍ଡିତ ହୋଇ ଯେବଣ ନର

ପଣ୍ଡିତ ସହ, କରି ହଠକାର

ତର୍କ-ବିତର୍କେ ହୁଅଇ ପ୍ରବୃତ୍ତ

ମୂର୍ଖ ମଧ୍ୟରେ ସେ ପରିଗଣିତ

 

 

(୧୭)

 

ଅପ୍ରସ୍ତାବେ ପଟୁବକ୍ତା

 

 

 

ହେତୁ ବା ବିଷୟ କିଛିହିଁ ନାହି

ବୃଥାରେ ଯେ ଜନ ଗଳ୍ପ କରଇ

ଗଣ୍ଡମୂର୍ଖ ବୋଲି ତାହାକୁ ଭଣି

ସଂସାରେ ସେ କିସ କରିବ ପୁଣି

 

 

 

 

 

 

 

 

 

 

(୧୮)

 

ପ୍ରସ୍ତାବେ ମୌନକାରକଃ

 

 

 

ପ୍ରସଙ୍ଗ ବା ହେତୁ ପଡ଼ିବାବେଳେ

କଥା ନ କହି ଯେ ମୌନ ଆଚରେ

ମୂର୍ଖସମାଜେ ସେ ପରିଗଣିତ

ହୁଅଇ ଏହା ସୁଧୀଜନମତ

 

 

(୧୯)

 

ଲାଭକାଳେ କଳହକୃତ୍‌

 

 

 

ଲାଭ ସମୟ ଉପସ୍ଥିତ ହେଲେ

ଲାଭଦାତା ସଙ୍ଗେ କଳି ଯେ କରେ

ଫଳରେ ଲାଭପଥ ରୋଧ କରେ

ମୂର୍ଖ ତାକୁ ବୋଲିଥାନ୍ତି ସଂସାରେ

 

 

 

 

 

 

 

 

 

 

(୨୦)

 

ମନ୍ୟୁମାନ୍‌ ଭୋଜନକ୍ଷଣେ

 

 

 

ଭୋଜନ କାଳେ ଯେ କ୍ରୋଧ-ଅନଳେ

ଜଳେ, ମୂର୍ଖ ତାକୁ ବୋଲି ଭୂତଳେ

 

 

(୨୧)

 

କୀର୍ଣ୍ଣାର୍ଥଃ ସ୍ଥୂଳଲାଭେନ

 

 

 

ସାମାନ୍ୟ ଲାଭ ପାଇଁ ଯେଉଁ ଜନ

ବ୍ୟୟ କରିଥାଏ ଅଜସ୍ର (ବିପୁଳ) ଧନ

ତାହାକୁ ସାଧୁଏ ବୋଲନ୍ତି ମୂର୍ଖ

ଏହି ନୀତିବାଣୀ ମନରେ ରଖ

 

 

(୨୨)

 

ଲୋକୋକ୍ତୌ କ୍ଳିଷ୍ଟସଂବୃତଃ

 

 

 

ଲୋକ ବାକ୍ୟରେ ଯେ ହୁଏ ବ୍ୟଥିତ

ମୂର୍ଖ ନାମରେ ସେ ସଦା କଥିତ

(୨୩)

 

ପୁତ୍ରାଧୀନେ ଧନେ ଦୀନଃ

 

 

 

ପୁତ୍ରହାତେ ଯଥାସର୍ବସ୍ୱ ଦେଇ

ଶେଷେ ଯେ ବହୁ ଯାତନା ଭୁଞ୍ଜଇ

ମୂର୍ଖ ବୋଲି ଗଣ୍ୟ ହୁଏ ସେ ନରେ

ରଖିଥିବ ଏହା ସ୍ମୃତି ପଥରେ

 

 

(୨୪)

 

ପତ୍ନ୍ୟାଦତ୍ତାର୍ଥଯାଚକଃ

 

 

 

କୌଣସି ପଦାର୍ଥ ଅଥବା ଧନ

ପତ୍ନୀକି ଥରେ କରି ସମର୍ପଣ

ପୁଣି ତାହାଠାରୁ ମାଗଇ ଯେହୁ

ମୂର୍ଖ ସମାଜେ ଗଣ୍ୟ ହୁଏ ସେହୁ

 

 

 

 

 

 

 

 

 

 

(୨୫)

 

ଭାର୍ଯ୍ୟାଖେଦାତ୍‌ କୃତୋବ୍ଦାହଃ

 

 

 

ଏକ ପତ୍ନୀଠାରେ ବିରକ୍ତ ହୋଇ

ସୁଖଲାଭେ ଯେ ଅନ୍ୟଦାର ବିହି

ମୂର୍ଖ ସମାଜେ ସେ ହୁଅଇ ଗଣା

ସୁଧୀଗଣଙ୍କର ଏହି ଧାରଣା

 

 

(୨୬)

 

ପୁତ୍ରକୋପାତ୍‌ ତଦନ୍ତକଃ

 

 

 

ପୁତ୍ରଠାରେ କରି କୋପ ପ୍ରକାଶ

ପରାଣେ ତାକୁ ଯେ କରଇ ନାଶ

ମୂର୍ଖ ବୋଲି ଗଣ୍ୟ ହୁଏ ସେ ଭବେ

ସନ୍ଦେହ ନ କର ଏଥିରେ ଲବେ

 

 

 

 

 

 

 

 

 

 

(୨୭)

 

କାମୁକ ସ୍ପର୍ଦ୍ଧୟା ଦାତା

 

 

 

କାମୀଜନ ସଙ୍ଗେ ଦ୍ୱନ୍ଦ୍ୱ ଲଗାଇ

ବେଶ୍ୟା ଆଦିଙ୍କି ଯେ ଧନ ଅର୍ପଇ

ମୂର୍ଖଶ୍ରେଣୀଭୁକ୍ତ ହୁଏ ସେ ଜନ

କର ସଦା ଏହି ନୀତି ସ୍ମରଣ

 

 

(୨୮)

 

ଗର୍ବ୍ବବାନ୍‌ ମାର୍ଗଣୋକ୍ତିଭିଃ

 

 

 

କୃପାକାମୀ ଚାଟୁବାକ୍ୟେ ଯେ ଜନ

ଆପଣାକୁ କରେ ଗର୍ବିତ ଜ୍ଞାନ

ସେ ଜନ ମୂର୍ଖ ବୋଲାଇ ଜଗତେ

ସୁଧୀ ସମାଜର ନିଦେଶ ମତେ

 

 

 

 

 

 

 

 

 

 

(୨୯)

 

ଧୀଦର୍ପାନ୍ନ ହିତଶ୍ରୋତା

 

 

 

ନିଜକୁ ବୁଦ୍ଧିମନ୍ତ ବୋଲି ଜାଣି

ଦର୍ପେ ଯେ ହିତବଚନ ନ ଶୁଣି

ବିପଦ-ଖାତେ ସେ ହୁଏ ପତିତ

ମୂର୍ଖ ସମାଜେ ସେ ପରିଗଣିତ

 

 

(୩୦)

 

କୁଳୋତ୍ସେକାଦସେବକଃ

 

 

 

କୁଳଗର୍ବେ ସ୍ଫୀତ ହୋଇ ଯେ ଜନ

ମନ ମଧ୍ୟେ ଘୃଣା କରି ପୋଷଣ

ପ୍ରୟୋଜନେ ବି ନ କରେ ଗ୍ରହଣ

ସେବକ ପଦ, ମୂର୍ଖ ତାକୁ ଘେନ

 

 

 

 

 

 

 

 

 

 

(୩୧)

 

ଦତ୍ତ୍ୱାର୍ଥାନ୍‌ ଦୁର୍ଲ୍ଲଭାନ୍‌ କାମୀ

 

 

 

ଦୁର୍ଲ୍ଲଭ ପଦାର୍ଥ ଦେଇ ଯେ ନର

କାମ ଚରିତାର୍ଥ କରେ ନିଜର

ତାହାକୁ ଗୋମୂର୍ଖ ବୋଲି ସଂସାରେ

ନ ଭୁଲିବ ଏହା କୌଣସି କାଳେ

 

 

(୩୨)

 

ଦତ୍ତ୍ୱା ଶୁଳ୍କମମାର୍ଗଗଃ

 

 

 

ଯେଉଁ ବଣିକ ନିଜ ପଣ୍ୟୋପରି

ନ୍ୟାଯ୍ୟ ରାଜଶୁଳ୍କ ଅର୍ପଣ କରି

ଗୁପ୍ତ ପଥେ ଯାଇ ଅନର୍ଥ କରେ

ମୂର୍ଖ ତାହାକୁ ବୋଲନ୍ତି ସକଳେ

 

 

 

 

 

 

 

 

 

 

(୩୩)

 

ଲୁବ୍ଧେ ଭୂଭୁଜି ଲାଭାର୍ଥୀ

 

 

 

ଯେ ଜନ ନୃପେ ଅତିଲୋଭୀ ଜାଣି

ତା’ଠାରୁ ଲାଭ ଆଶା କରେ ପୁଣି

ମହାମୂର୍ଖ ଭବେ ବୋଲାଏ ସେହି

ମନେ ରଖ ସର୍ବେ ଏକଥା ଭାଇ

 

 

(୩୪)

 

ନ୍ୟାୟାର୍ଥୀ ଦୁଷ୍ଟଶାସ୍ତରି

 

 

 

ଯହିଁ ଶାସକ ଦୁଷ୍ଟ ଅତ୍ୟାଚାରୀ

ନ୍ୟାୟ ବିଚାର ତହୁଁ ଆଶା କରି

ବସି ରହିଥାଏ ଯେବଣ ଜନ

ମହାମୂର୍ଖ ବୋଲି ତାହାକୁ ଘେନ

 

 

 

 

 

 

 

 

 

 

(୩୫)

 

କାୟସ୍ଥେ ସ୍ନେହବଦ୍ଧାଶଃ

 

 

 

*କାୟସ୍ଥ ସ୍ନେହେ ନିର୍ଭର କରିଣ

ହୃଦେ ଆଶା ପୋଷିଥାଏ ଯେ ଜନ

ମୂର୍ଖ ସମାଜେ ସେ ହୁଏ ଗଣିତ

ଏସନ ସାଧୁଜନଙ୍କର ମତ

 

 

 

(୩୬)

 

କ୍ରୂରେ ମନ୍ତ୍ରିଣି ନିର୍ଭୟଃ

 

 

 

ରାଜ୍ୟ ମନ୍ତ୍ରୀଙ୍କି କ୍ରୂର କର୍ମ୍ମା ଜାଣି

ନିର୍ଭୟେ ରାଜ୍ୟେ ଯେ ବିଚାରେ ପୁଣି

ମହାମୂର୍ଖ ବୋଲି ଜାଣିବ ତାକୁ

କେଭେଁ ନ ଭୁଲିବ ଏହି କଥାକୁ

 

* ଏଠାରେ କାୟସ୍ଥ ପଦଦ୍ୱାରା ରାଜକର୍ମଚାରୀଙ୍କି ବୁଝାଉ ଅଛି । ବିଶେଷତଃ ଯେଉଁମାନେ ପ୍ରଜାମାନଙ୍କଠାରୁ ଖଜଣା ଆଦାୟ କରିଥାନ୍ତି । ଏମାନେ ପ୍ରଜାମାନଙ୍କ ଉପରେ ଅତିରିକ୍ତ ଉତ୍ପୀଡ଼ନ କରୁଥିଲେ ଏବଂ ବଡ଼ ଅତ୍ୟାଚାରୀ ଥିଲେ । ଅତଏବ ସେମାନଙ୍କଠାରୁ ସ୍ନେହ ବା ଦୟା ଆଶା କରିବା ମୂର୍ଖତାର ପରିଚାୟକ ।

 

(୩୭)

 

କୃତଘ୍ନେ ପ୍ରତିକାର୍ଯ୍ୟାର୍ଥୀ

 

 

 

କୃତଘ୍ନର ଉପକାର ନିମିତ୍ତ

ଯେ ଜନ ବ୍ୟଗ୍ର ହୁଅଇ ସତତ

ଗଣ୍ଡମୂର୍ଖ ବୋଲି ତାକୁ ଜାଣିବ

ମନୁ ତାହା କେଭେ ନ ପାଶୋରିବ

 

 

(୩୮)

 

ନୀରସେ ଗୁଣବିକ୍ରୟୀ

 

 

 

ରସ ଗ୍ରହଣ କରି ଯେ ନ ଜାଣେ

ତା’ ପାଶେ ଯେ ନିଜ ଗୁଣ ବଖାଣେ

ମୂର୍ଖ ଆଖ୍ୟା ପାଇଥାଇ ସେ ନର

ସାଧୁ ଜନଙ୍କର ଏସନ ଗିର

 

 

(୩୯)

 

ସ୍ୱାସ୍ଥ୍ୟେ ବୈଦ୍ୟକ୍ରିୟାନ୍ୱେଷୀ

 

 

 

ସୁସ୍ଥ ଅବସ୍ଥାରେ ଥାଇ ଯେ ନର

ନାନା ଭେଷଜ କରି ବ୍ୟବହାର

ଶାରୀର ଯନ୍ତ୍ର ବିକୃତ କରଇ

ଗଣ୍ଡମୂର୍ଖ ବୋଲି ତାହାକୁ କହି

 

 

(୪୦)

 

ରୋଗୀ ପଥ୍ୟପରାଙ୍ମୁଖ

 

 

 

ଯେଉଁ ରୋଗୀ ରୋଗଭୋଗ କାଳରେ

ପଥ୍ୟ ସେବନ ନ କରି ବିଧିରେ

ନିଜ ମନୋମତ ଭୋଜନ କରି

ବିପଦରାଶିକୁ ଆଣଇ ବରି

ମୂର୍ଖସମାଜେ ସେ ହୁଅଇ ଗଣା

ସାଧୁଗଣଙ୍କର ଏହି ଧାରଣା

 

 

 

 

 

 

(୪୧)

 

ଲୋଭେନ ସ୍ୱଜନତ୍ୟାଗୀ

 

 

 

ଲୋଭବଶେ ପଡ଼ି ଯେବଣ ଜନ

ତ୍ୟାଗକରେ ନିଜ ଆତ୍ମୀୟ ଜନ

ସୁଧୀଏ ମୂର୍ଖ ବୋଲନ୍ତି ତାହାକୁ

ପାଶୋରିବ ନାହିଁ ଏହି କଥାକୁ

 

 

(୪୨)

 

ବାଚା ମିତ୍ରବିରାଗକୃତ୍‌

 

 

 

କର୍କଶ ବଚନ ଭାଷି ଯେ ଜନ

ବନ୍ଧୁ ସହ ସାଧେ ମନୋମାଳିନ୍ୟ

ମୂର୍ଖ ନାମେ ସେହି ହୁଏ ବିଦିତ

ଏସନ ସୁଧୀସମାଜର ମତ

 

 

 

 

 

 

 

 

 

 

(୪୩)

 

ଲାଭକାଳେ କୃତାଳସ୍ୟଃ

 

 

 

ଲାଭସମୟ ଆଗତ ଦେଖିଣ

ଆଳସ୍ୟେ ଦିନ କଟାଏ ଯେ ଜନ

ମୂର୍ଖଜନ ମଧ୍ୟେ ତାହାକୁ ଗଣି

ପଣ୍ଡିତଗଣଙ୍କ ଏସନ ବାଣୀ

 

 

(୪୪)

 

ମହର୍ଦ୍ଧିଃ କଳହପ୍ରିୟଃ

 

 

 

ବିପୁଳ ବିତ୍ତ ଅଧିକାରୀ ହୋଇ

ସ୍ୱଳ୍ପ ଅର୍ଥପାଇଁ କଳି କରଇ

ଯେ ଜନ, ତାକୁ ମୂର୍ଖ ବୋଲି ଜାଣି

ପଣ୍ଡିତଗଣଙ୍କ ଏସନ ବାଣୀ

 

 

 

 

 

 

 

 

 

 

(୪୫)

 

ରାଜ୍ୟାର୍ଥୀ ଗଣକସ୍ୟୋକ୍ତେଃ

 

 

 

ଗଣକମୁଖୁଁ ରାଜଯୋଗବାର୍ତ୍ତା

ଶୁଣି ତହିଁରେ ସ୍ଥାପି ପୂର୍ଣ୍ଣ ଆସ୍ଥା

ବସିଥାଏ ଯେହୁ ରାଜ୍ୟଆଶାରେ

ମୂର୍ଖଜନ ତାକୁ ବୋଲି ସଂସାରେ

 

 

(୪୬)

 

ମୂର୍ଖମନ୍ତ୍ରେ କୃତାଦରଃ

 

 

 

ମୂର୍ଖଜନ ପରାମର୍ଶ ଘେନିଣ

ଯେ ଜନ କର୍ମ କରେ ଅନୁଷ୍ଠାନ

ପଡ଼ଇ ଘୋର ବିପଦେ ସତତ

ମୂର୍ଖ ମଧ୍ୟରେ ସେ ପରିଗଣିତ

 

 

 

 

 

 

 

 

 

 

(୪୭)

 

ଶୂରୋ ଦୁର୍ବଳବାଧୟା

 

 

 

ଦୁର୍ବଳ ପ୍ରତି କରି ଅତ୍ୟାଚାର

ବୋଲାଏ ନିଜକୁ ଯେ ମହାବୀର

ମୂର୍ଖଶ୍ରେଣୀଭୁକ୍ତ ହୁଏ ସେ ଜନ

ପଣ୍ଡିତଗଣଙ୍କ ଉକ୍ତି ଏସନ

 

 

(୪୮)

 

ଦୃଷ୍ଟଦୋଷାଙ୍ଗନାରତଃ

 

 

 

ଯେଉଁ କାମିନୀର ଚରିତ୍ରଦୋଷ

ଥରେ ମାତ୍ର ପାଇଅଛି ପ୍ରକାଶ

ତାହାଜାଣି ସୁଦ୍ଧା ଯେବଣ ନର

ଆସକ୍ତ ହୁଏ ସେହି ନାରୀଠାର

ମୂର୍ଖସମାଜେ ସେ ହୁଏ ଗଣିତ

ଏମନ୍ତ ଅଟେ ସୁଧୀଜନମତ

 

 

 

 

 

 

(୪୯)

 

କ୍ଷଣରାଗୀ ଗୁଣାଭ୍ୟାସେ

 

 

 

ଭଲକାର୍ଯ୍ୟ ବା ଗୁଣ ଅଭ୍ୟାସରେ

ଯାର ଆସକ୍ତି ଅଳପ କାଳରେ

ହୁଏ ବିଲୀନ, ମୂର୍ଖ ବୋଲି ତାକୁ

ମନେ ରଖ ସଦା ଏହି କଥାକୁ

 

 

(୫୦)

 

ସଞ୍ଚୟେଽନ୍ୟୈଃ କୃତବ୍ୟୟଃ

 

 

 

ପିତୃପିତାମହ-ସଞ୍ଚିତ ଧନ

ବୃଥାରେ ବ୍ୟୟ କରଇ ଯେ ଜନ

ମୂର୍ଖଜନ ତାକୁ ବୋଲି ସଂସାରେ

ଗୁଣିଗଣଙ୍କ ଉକ୍ତି ଅନୁସାରେ

 

 

 

 

 

 

 

 

 

 

(୫୧)

 

ନୃପାନୁକାରୀ ମାନେନ

 

 

 

ସକଳେ କରିବେ ବୋଲି ସମ୍ମାନ

ଗରବେ ନୃପତି-ବେଶ-ଭୂଷଣ

ଅନୁକରଣ କରଇ ଯେ ନର

ଗଣ୍ଡମୂର୍ଖ ବୋଲି ତାକୁ ବିଚାର

 

 

(୫୨)

 

ଜନେ ରାଜାଦିନିନ୍ଦକଃ

 

 

 

ଯେଉଁବ୍ୟକ୍ତି ସର୍ବଜନଆଗରେ

ରାଜାମନ୍ତ୍ରୀଙ୍କର ନିନ୍ଦା ଆଚରେ

ମୂର୍ଖଜନମଧ୍ୟେ ହୁଏ ସେ ଗଣା

ଜ୍ଞାନୀଜନଙ୍କର ଏହି ଧାରଣା

 

 

 

 

 

 

 

 

 

 

 

 

(୫୩)

 

ଦୁଃଖେ ଦର୍ଶିତଦୈନ୍ୟାର୍ତ୍ତିଃ

 

 

 

ଦୁଃଖ ବା ଦାରିଦ୍ର୍ୟେ ପଡ଼ି ଯେ ନର

ସବୁରି ଆଗେ କରେ ତା’ ପ୍ରଚାର

ମୂର୍ଖଜନ ବୋଲି ଜାଣିବ ତାକୁ

ମନେ ରଖିଥିବ ଏହି କଥାକୁ

 

 

(୫୪)

 

ସୁଖେ ବିସ୍ମୃତଦୁର୍ଗତିଃ

 

 

 

ସୁଖ ସମୟ ଆସିଲେ ଯାହାର

ପୂର୍ବ କଷ୍ଟକଥା ଯାଏ ପାଶୋର

ମୂର୍ଖଜନ ବୋଲି ତାହାକୁ ଜାଣି

ସୁଧୀଜନଙ୍କର ଏସନ ବାଣୀ

 

 

 

 

 

 

 

 

 

 

 

 

(୫୫)

 

ବହୁବ୍ୟୟୋଽଳରକ୍ଷାର୍ଥଂ

 

 

 

ସାମାନ୍ୟ ପଦାର୍ଥ ରକ୍ଷଣ ପାଇଁ

ପ୍ରଚୁର ଧନ ଯେ ବ୍ୟୟ କରଇ

ମୂର୍ଖନର ବୋଲି ଭାଷିବ ତାକୁ

ପାଶୋରିବ ନାହିଁ ଏହି କଥାକୁ

 

 

(୫୬)

 

ପରୀକ୍ଷାୟୈ ବିଷାଶନଃ

 

 

 

ବିଷ ଖାଇଲେ କି ହୁଏ ଶରୀରେ

ପରୀକ୍ଷା କରିବା ପାଇଁ ଯେ ନରେ

କୁତୁହଳୀ ହୋଇ ବିଷ ଭକ୍ଷିଣ

ବିପଦ ଆପେ କରନ୍ତି ବରଣ

ପଣ୍ଡିତେ ତାହାଙ୍କୁ ମୂର୍ଖ ନାମରେ

ଅଭିହିତ କରିଥାନ୍ତି ଲୋକରେ

 

 

 

 

 

 

(୫୭)

 

ଦଗ୍ଧାର୍ଥୋ ଧାତୁବାଦେନ

 

 

 

ନିକୃଷ୍ଟ ଧାତୁରୁ ସୁନା ବାହାର

କରିବା ପାଇଁ ଚେଷ୍ଟାରେ ଯେ ନର

ଆପଣା ଅର୍ଥ କରେ ଭସ୍ମୀଭୂତ

ମୂର୍ଖ ବୋଲନ୍ତି ତାକୁ ସୁଧୀବ୍ରତ

 

 

(୫୮)

 

ରସାୟନୈ ରସକ୍ଷୟୀ

 

 

 

ରସାୟନ ଆଦି ତୀବ୍ର ଭେଷଜ

ସେବନ କରି ଯେ ଶରୀର ଓଜଃ

ନଷ୍ଟ କରେ ତାକୁ ପଣ୍ଡିତଗଣ

ମୂର୍ଖ ମଧ୍ୟରେ କରନ୍ତି ଗଣନ

 

 

 

 

 

 

 

 

 

 

(୫୯)

 

ଆତ୍ମସମ୍ଭାବନାସ୍ତବ୍ଧଃ

 

 

 

ନିଜକୁ ଜଣେ ଅତି ବଡ଼ଜନ

ଅବା ପଣ୍ଡିତ ବୋଲି ବିଚାରିଣ

ସଦା ଫୁଲୁଥାଏ ଯେବଣ ଲୋକ

ସଂସାର ମଧ୍ୟରେ ସେହିଟି ମୂର୍ଖ

 

 

(୬୦)

 

କ୍ରୋଧାଦାତ୍ମବଧୋଦ୍ୟତଃ

 

 

 

କ୍ରୋଧବଶେ ଯେ ହୁଏ ଆତ୍ମଘାତୀ

ସାଧୁଏ ମୂର୍ଖ ତାହାକୁ ବୋଲନ୍ତି

 

 

(୬୧)

 

ନିତ୍ୟଂ ନିଷ୍ଫଳସଞ୍ଚାରୀ

 

 

 

କିଛିହିଁ କର୍ମ୍ମ ଯାହାର ନ ଥାଇ

ବୁଲାପରି ସଦା ଘୁରି ବୁଲଇ

ମୂର୍ଖସମାଜେ ସେ ହୁଏ ଗଣିତ

ଏମନ୍ତ ସାଧୁଜନଙ୍କର ମତ

 

 

(୬୨)

 

ଯୁଦ୍ଧପ୍ରେକ୍ଷୀ ଶରାହତଃ

 

 

 

ଯୁଦ୍ଧ କରିବାକୁ ଯାଇ ଯେ ନର

ଶରାଘାତ ପାଇ ରଣକୌଶଳ

ଦେଖୁଥାଏ, ତାକୁ ବୋଲନ୍ତି ମୂର୍ଖ

ଏହି କଥାଟିକି ମନରେ ରଖ

 

 

(୬୩)

 

ଶୟୀ ଶତ୍ରୁବିରୋଧେନ

 

 

 

ବଳୀ ଶତ୍ରୁ ସଙ୍ଗେ ବିରୋଧ କରି

ନିଶ୍ଚିନ୍ତମନେ ଯେ ନିଦ୍ରା ଆଚରି

ପଣ୍ଡିତେ ମୂର୍ଖ ବୋଲନ୍ତି ତାହାକୁ

ମନେ ରଖିଥିବ ଏହି କଥାକୁ

 

 

(୬୪)

 

ସ୍ୱଳ୍ପାର୍ଥଃ ସ୍ଫୀତଡ଼ମ୍ୱରଃ

 

 

 

ଅତିଅଳ୍ପ ଆୟ କରି ଯେ ନର

ଦେଖାଏ ଲୋକେ ବହୁ ଆଡ଼ମ୍ୱର

ମୂର୍ଖନାମରେ ସେ ହୁଏ ବିଦିତ

ଏସନ ପଣ୍ଡିତସମାଜମତ

 

 

(୬୫)

 

ପଣ୍ଡିତୋଽସ୍ମୀତି ବାଚାଳଃ

 

 

 

ନିଜକୁ ପଣ୍ଡିତ ମଣି ଯେ ଜନ

ସଦା ପ୍ରକାଶଇ ବାଚାଳପଣ

ଜ୍ଞାନୀ ହେଲେ ମଧ୍ୟ ମୂର୍ଖ ନାମରେ

ଅଭିହିତ ହୋଇଥାଏ ଲୋକରେ

 

 

 

 

 

 

 

 

 

 

(୬୬)

 

ସୁଭଟୋଽସ୍ମୀତି ନିର୍ଭୟଃ

 

 

 

ଆପଣାକୁ ବଡ଼ ଯୋଦ୍ଧା ଭାବିଣ

ନିର୍ଭୟେ ଯେହୁ କରେ ବିଚରଣ

ମୂର୍ଖଶ୍ରେଣୀଭୁକ୍ତ ହୁଏ ସେ ନର

ପଣ୍ଡିତମାନଙ୍କ ଏସନ ଗିର

 

 

(୬୭)

 

ପ୍ରଫୁଲ୍ଲିତୋଽତି ସ୍ତୁତିଭିଃ

 

 

 

ଚାଟୁକାର ତୋଷାମଦ ବଚନ

ଶୁଣି ଆହ୍ଲାଦିତ ହୁଏ ଯେ ଜନ

ତାହାକୁ ବୋକା ବୋଲନ୍ତି ସଂସାରେ

ମନେ ରଖିଥିବ ଏସନ ଗିରେ

 

 

 

 

 

 

 

 

 

 

(୬୮)

 

ମର୍ମ୍ମଭେଦୀ ସ୍ମିତୋକ୍ତିଭିଃ

 

 

 

କେହି ଉପହାସ କରି କହିଲେ

ମର୍ମ୍ମଭେଦୀ ବାଣୀ ଯେ ତାକୁ ବୋଲେ

ଗଜମୂର୍ଖ ବୋଲି ବୋଲନ୍ତି ତାକୁ

ମନେ ରଖ ସର୍ବେ ଏହି କଥାକୁ

 

 

(୬୯)

 

ଦରିଦ୍ରହସ୍ତନ୍ୟସ୍ତାର୍ଥଃ

 

 

 

ଅତି ଦରିଦ୍ର ହାତେ ଯେଉଁ ନର

ଧନଗଚ୍ଛିତ ରଖେ ଆପଣାର

ତାହାକୁ ଗଣ୍ଡମୂର୍ଖ ବୋଲି କହି

ଏ ବାଣୀ ସଦା ମନେରଖ ଭାଇ

 

 

 

 

 

 

 

 

 

 

(୭୦)

 

ସନ୍ଦିଗ୍ଧେଽର୍ଥେ କୃତବ୍ୟୟଃ

 

 

 

ଯେଉଁ କାର୍ଯ୍ୟ-ସଫଳତା ବିଷୟେ

ମାନସେ ବିଶେଷ ସନ୍ଦେହ ଥାଏ

ସେଥିରେ ବ୍ୟୟ କରଇ ଯେ ଧନ

ମହାମୂର୍ଖ ବୋଲି ତାହାକୁ ଘେନ

 

 

(୭୧)

 

ସବ୍ୟୟେ ଲେଖ୍ୟକାଳସ୍ୟଃ

 

 

 

ଆପଣା ଜମାଖରଚ ଲେଖାରେ

ଯେଉଁ ଜନ ସଦା ଆଳସ୍ୟ କରେ

ମୂର୍ଖ ନାମରେ ସେ ହୁଏ ବିଦିତ

ସାଧୁଜନଙ୍କର ଏସନ ମତ

 

 

 

 

 

 

 

 

 

 

(୭୨)

 

ଦୈବବଶାତ୍‌ ତ୍ୟକ୍ତପୌରୁଷଃ

 

 

 

ଦୈବ ଉପରେ ଯେ କରି ନିର୍ଭର

ଅବହେଳା କରେ ପୁରୁଷକାର

ବିଦିତ ହୁଏ ସେ ମୂର୍ଖନାମରେ

ପ୍ରବୀଣ ସୁଧୀସମାଜ-ମତରେ

 

 

(୭୩)

 

ଗୋଷ୍ଠୀରତିର୍ଦରିଦ୍ରଶ୍ଚ

 

 

 

ଦରିଦ୍ର ହୋଇ ବଡ଼ଲୋକ ସଙ୍ଗେ

ଉଚ୍ଚସମାଜେ ଯେ ମିଶଇ ରଙ୍ଗେ

ସାଧୁଏ ମୂର୍ଖ ବୋଲନ୍ତି ତାହାକୁ

ମନେ ରଖ ସଦା ଏହି କଥାକୁ

 

 

 

 

 

 

 

 

 

 

(୭୪)

 

ଦୈନ୍ୟେ ବିସ୍ମୃତଭୋଜନଃ

 

 

 

ଶୋକ ଅବା ତାପ ହେତୁ ଯେ ଜନ

ଆହାର କଥା କରେ ବିସ୍ମରଣ

ତାହାକୁ ମୂର୍ଖ ବୋଲନ୍ତି ସଂସାରେ

ମନେ ରଖିଥିବ ଏ ନୀତି-ଗିରେ

 

 

(୭୫)

 

ଗୁଣହୀନଃ କୁଳଶ୍ଳାଘୀ

 

 

 

ଗୁଣହୀନ ହୋଇ ଯେବଣ ନର

କୁଳପ୍ରଶଂସା କରଇ ନିଜର

ନିପଟ ମୂର୍ଖ ବୋଲନ୍ତି ତାହାକୁ

ମନେ ରଖିଥିବ ଏହି କଥାକୁ

 

 

 

 

 

 

 

 

 

 

(୭୬)

 

ଗୀତଗାୟୀ ଖରସ୍ୱରଃ

 

 

 

ଗଧ ପରି ଗଳା ପାଇ ଯେ ଜନ

କରଇ ସର୍ବଦା ସଙ୍ଗୀତଗାନ

ମୂର୍ଖ ବୋଲି ତାକୁ ଭାଷନ୍ତି ସର୍ବେ

ଏକଥାକୁ କେବେ ନ ଭୁଲ ଲବେ

 

 

(୭୭)

 

ଭାର୍ଯ୍ୟାଭୟାନ୍ନିଷିଦ୍ଧାର୍ଥୀ

 

 

 

ଭାର୍ଯ୍ୟା ଭୟରେ ଯେ ଆପଣା ଧନ

ଅଥବା ଧନର ବିଷୟମାନ

ଗୋପନ ରଖେ, ସେ ଅଟଇ ମୂର୍ଖ

ଏହି ବଚନଟି ମନରେ ରଖ

 

 

 

 

 

 

 

 

 

 

(୭୮)

 

କାର୍ପଣ୍ୟେ କ୍ଷାପ୍ତପୂର୍ବଶଃ

 

 

 

ଅତିଶୟ କୃପଣତା ବଶରେ

ସବୁଠି ଦୁର୍ନାମ କୀଣେ ଯେ ନରେ

ତାହାକୁ ମୂର୍ଖ ବୋଲନ୍ତି ଜଗତେ

ମନେ ରଖିଥିବ ଏହା ନିରତେ

 

 

(୭୯)

 

ବ୍ୟକ୍ତଦୋଷଜନଶ୍ଳାଘୀ

 

 

 

ଯେ ଜନଦୋଷ ସବୁରି ଆଗରେ

ପ୍ରଚାର ଲଭିଛି ସାରା ସଂସାରେ

ଯେ କରଇ ସେହି ନର-ସୁଖ୍ୟାତି

ସର୍ବେ ତାହାକୁ ମୂର୍ଖ ବୋଲିଥାନ୍ତି

 

 

 

 

 

 

 

 

 

 

(୮୦)

 

ସଭାମଧ୍ୟାର୍ଦ୍ଧନିର୍ଗତଃ

 

 

 

ସଭାରେ ବସିଣ ଯେବଣ ଜନ

ସମିତି କାର୍ଯ୍ୟ ନୋହୁଁ ଅବସାନ

ସକଳ ସମକ୍ଷେ ସଭା ତ୍ୟଜଇ

ଗଣ୍ଡମୂର୍ଖ ବୋଲି ତାହାକୁ କହି

 

 

(୮୧)

 

ଦୂତୋ ବିସ୍ମୃତସନ୍ଦେଶଃ

 

 

 

ନିର୍ଦ୍ଦିଷ୍ଟ ସ୍ଥାନେ ପହୁଞ୍ଚି ଯେ ଦୂତ

ଭୁଲିଯାଏ ଆଣିଥିବା ସଙ୍କେତ

ତାହାକୁ ମୂର୍ଖ ବୋଲନ୍ତି ସଂସାରେ

ଏହିନୀତି ସଦା ରଖ ମନରେ

 

 

 

 

 

 

 

 

 

 

(୮୨)

 

କାସବାଂଶ୍ଚୌରିକାରତଃ

 

 

 

ଯେବଣ ନର କାସରୋଗୀ ହୋଇ

ରାତ୍ରେ ସିନ୍ଧିଯୋଗେ ଚୋରି କରଇ

ଗଣ୍ଡମୂର୍ଖ ବୋଲି ତାକୁ ଜାଣିବ

ଏ ନୀତି-ବାକ୍ୟ କେଭେଁ ନ ଭୁଲିବ

 

 

(୮୩)

 

ଭୁରିଭୋଜବ୍ୟୟଃ କୀର୍ତ୍ତେଃ

 

 

 

କେବଳ ସୁନାମ ହେବା ଆଶାରେ

ବଡ଼ ବଡ଼ ଭୋଜି ଦିଏ ଯେ ନରେ

ମୂର୍ଖ ବୋଲି ତାକୁ ଜାଣିବ ଭାଇ

ଏ ନୀତି କେବେହେଁ ଭୁଲିବ ନାହିଁ

 

 

 

 

 

 

 

 

 

 

(୮୪)

 

ଶ୍ଲାଘାୟୈ ସ୍ୱଳ୍ପଭୋଜନଃ

 

 

 

ଖ୍ୟାତି ଗୌରବ ବଢ଼ିବ ନିଜର

ବିଚାରି ଯେ ଅତି ଅଳ୍ପ ଆହାର

କରଇ, ତାକୁ ବୋଲି ଗଜମୂର୍ଖ

ଏ ନୀତି-ବଚନ ମନରେ ରଖ

 

 

ଏହି ଶ୍ଳୋକରେ ‘ଭୋଜ୍ୟ’ର ବିଶିଷ୍ଟ ଅର୍ଥ ତିଅଣ ଗ୍ରହଣ କରାଯାଇଅଛି ଯେ ହେତୁ ତିଅଣ ଭଲ ହୋଇଥିଲେ ଲୋକେ ତାହା ବାରମ୍ୱାର ମାଗିଥାନ୍ତି, କିନ୍ତୁ ଭୋଜ୍ୟର ସାଧାରଣ ଅର୍ଥ ଯେ କୌଣସି ସୁଖାଦ୍ୟ ଅଟେ ।

 

(୮୫)

 

ସ୍ୱଳ୍ପେଭୋଜ୍ୟେଽତିରସିକଃ

 

 

 

ଅଳ୍ପ ହୋଇଅଛି ଯେଉଁ ତିଅଣ

ବାରମ୍ୱାର ତାହା ମାଗେ ଯେ ଜନ

ମୂର୍ଖ ବୋଲି ତାକୁ ନିଶ୍ଚେ ଜାଣିବ

ଏହି ନୀତି ମାନି ସଦା ଚଳିବ

(୮୬)

 

ବିକ୍ଷପ୍ତଶ୍ଛଦ୍ମଚାଟୁଭିଃ

 

 

 

ଲୁକ୍କାୟିତ ଚାଟୁବାକ୍ୟେ ଯେ ନର

ବିକ୍ଷିପ୍ତଚିତ୍ତ ହୋଇ ଆପଣାର

କର୍ତ୍ତବ୍ୟ ଭୁଲି ହୁଏ ପ୍ରତାରିତ

ମୂର୍ଖ ନାମରେ ସେ ସଦା କଥିତ

 

 

(୮୭)

 

ବେଶ୍ୟାବ୍ୟାପାରକଳହୀ

 

 

 

ବେଶ୍ୟାଘଟିତ ବିଷୟେ ଯେ ନରେ

ନିଜ ନିଜ ମଧ୍ୟେ ପ୍ରକାଶ୍ୟସ୍ଥଳେ

କଳହବାଦେ ହୁଅନ୍ତି ପ୍ରବୃତ୍ତ

ମୂର୍ଖନାମେ ସେ ସର୍ବଦା ବିଦିତ

 

 

 

 

 

 

 

 

 

 

 

 

(୮୮)

 

ଦ୍ୱୟୋର୍ମନ୍ତ୍ରେ ତୃତୀୟକଃ

 

 

 

ଦୁଇଜଣ ଯେଉଁଠାରେ ବସିଣ

କରୁଥାନ୍ତି ପରାମର୍ଶ ଗୋପନ

ତହି ଉପସ୍ଥିତ ହୁଏ ଯେ ନର

ମୂର୍ଖ ବୋଲି ତାକୁ ମନେ ବିଚାର

 

 

(୮୯)

 

ରାଜପ୍ରସାଦେ ସ୍ଥିରଧୀଃ

 

 

 

ରାଜାକଲେ ଅନଗ୍ରହ ପ୍ରକାଶ

ଯେ ଜନ ତାହା ନ ମାନିଣ ଲେଶ

ବସିଥାଏ ଧୀର ସ୍ଥିର ଚିତ୍ତରେ

ମୂର୍ଖ ବୋଲି ତାକୁ ଜାଣ ନିକରେ

 

 

 

 

 

 

 

 

 

 

(୯୦)

 

ଅନ୍ୟାୟେନ ବିବର୍ଦ୍ଧିଷୁଃ

 

 

 

କୌଣସି ଅନ୍ୟାୟ କର୍ମ୍ମ ଆଚରି

ଯେହୁ ଉନ୍ନତି ଥାଏ ଆଶା କରି

ମୂର୍ଖ ନାମରେ ସେ ହୁଏ ବିଦିତ

ଏ ବାଣୀ ସୁମର ସର୍ବେ ନିୟତ

 

 

(୯୧)

 

ଅର୍ଥହୀନେଽର୍ଥକାର୍ଯ୍ୟାର୍ଥୀ

 

 

 

ଅର୍ଥହୀନ ହୋଇ ଯେବଣ ନର

ବ୍ୟୟବହୁଳ କାର୍ଯ୍ୟେ ଅଗ୍ରସର

ହୁଅଇ, ବୋଲିବ ମୂର୍ଖ ତାହାକୁ

ନ ଭୁଲିବ କେଭେଁ ଏହି କଥାକୁ

 

 

 

 

 

 

 

 

 

 

(୯୨)

 

ଜନେ ଗୁହ୍ୟପ୍ରକାଶକଃ

 

 

 

ଗୁପତ କଥା ପ୍ରକାଶ୍ୟେ ପ୍ରଚାରି

ନିଜ କଥା ନିଜ ଜନ ଉପରି

ଆଣେ ବିପଦ, ବୋଲି ତାକୁ ମୂର୍ଖ

ଏ ବାଣୀ ମନରେ ନିରତେ ରଖ

 

 

(୯୩)

 

ଅଜ୍ଞାତପ୍ରତିଭୂଃ କୀର୍ତ୍ତ୍ୟୈ

 

 

 

କେବଳ କୀରତି ଅବା ସୁନାମ

ହେବ ବୋଲି ଯେଉ ପୁରୁଷାଧମ

ଅଜ୍ଞାତ ବ୍ୟକ୍ତିର ହୁଏ ଜାମିନ

ମୂର୍ଖ ମଧ୍ୟେ ତାକୁ କର ଗଣନ

 

 

 

 

 

 

 

 

 

 

(୯୪)

 

ହିତବାଦିନି ମତ୍ସରୀ

 

 

 

ହିତକଥା କହିବାକୁ ଆସିଲେ

ଯେ ଜନ ତାଠାରେ ରୋଷ ଆଚରେ

ମୂର୍ଖ ନର ବୋଲି ଜାଣିବ ତାକୁ

କେବେ ନ ଭୁଲିବ ଏହି କଥାକୁ

 

 

(୯୫)

 

ସର୍ବତ୍ର ବିଶ୍ୱସ୍ତମନାଃ

 

 

 

ଯେ ସଦା ସକଳେ ବିଶ୍ୱାସ କରେ

ସରଳ ସ୍ୱଭାବ ଯେହୁ ଲୋକରେ

ନ ଚିହ୍ନଇ ସାଧୁ ଅସାଧୁ ଜନେ

କାର୍ଯ୍ୟ-ଅକାର୍ଯ୍ୟ ପ୍ରଭେଦ ନଜାଣେ

ତାହାକୁ ମୂର୍ଖ ନର ବୋଲି କହି

ମନେ ରଖ ଏହି ନୀତିକି ଭାଇ

 

 

 

 

 

 

(୯୬)

 

ନ ଲୋକବ୍ୟବହାରବିତ୍‌

 

 

 

ଲୋକ ବ୍ୟବହାର ନ ଜାଣେ ଯେହୁ

ମୂର୍ଖ ସମାଜେ ଗଣା ହୁଏ ସେହୁ

 

 

(୯୭)

 

ଭିକ୍ଷୁକଶ୍ଚୋଷ୍ଣଭୋଜୀ ଚ

 

 

 

ଭିକ୍ଷୁକ ହୋଇ ସଦା ଯେଉଁ ଜନ

କରିବାକୁ ଇଚ୍ଛେ ଉଷ୍ଣଭୋଜନ

ମୂର୍ଖ ନର ମଧ୍ୟେ ହୁଏ ସେ ଗଣା

ଜ୍ଞାନୀମାନଙ୍କର ଏହି ଧାରଣା

 

 

(୯୮)

 

ଗୁରୁଶ୍ଚ ଶିଥିଳକ୍ରିୟଃ

 

 

 

ଗୁରୁପଣ କରୁଥାଇ ଯେ ଜନ

କ୍ରିୟା ସଦାଚାର କରି ବର୍ଜ୍ଜନ

ମୂର୍ଖ ବୋଲାଏ ସେ ସଦା ଲୋକରେ

ଏ ବାଣୀ ସ୍ମରଣ ରଖ ଚିତ୍ତରେ

 

 

(୯୯)

 

କୁକର୍ମ୍ମଣ୍ୟପି ନିର୍ଲ୍ଲଜ୍ଜଃ

 

 

 

କୁକର୍ମ୍ମ କରି ନାହିଁ କ୍ଷୋଭ ଯାର

ନିର୍ଲ୍ଲଜ ପରି ପ୍ରଶଂସା ତାହାର

କରଇ ଯେହୁ ତାକୁ ଏ ଭୂତଳେ

ମୂର୍ଖ ବୋଲି ସଦା ଗଣିବ ହେଳେ

 

 

(୧୦୦)

 

ସ୍ୟାନ୍ମୂର୍ଖଶ୍ଚ ସହାସଗୀଃ

 

ଆହ୍ଲାଦେ ଗୋପାଳ ପରି ଯେ ଜନ

ସଦା ଅଟ୍ଟହାସେ ଭାଷେ ବଚନ

ସଭ୍ୟସମାଜେ ତାକୁ ଗଣ୍ଡମୂର୍ଖ

ବୋଲିଥାନ୍ତି ସଦା ସକଳ ଲୋକ

***